top
Road Connectivity Remains a Distant Dream: ସେତୁ ଆସିଲା, ହେଲେ ଗାଁକୁ ଆସିଲାନି ପକ୍କା ରାସ୍ତା
ନିରବ ଜଳରାଶି... ଦୂରକୁ ଲମ୍ବିଛି ପାହାଡ଼ର ଧାଡ଼ି... ଆଉ ଏହି ବିଶାଳ ଜଳରାଶିକୁ ଚିରି ଧୀରେ ଧୀରେ ଆଗକୁ ବଢୁଛି ଲଞ୍ଚ। ଏଠି ଲଞ୍ଚରେ ଯାତ୍ରା କରୁଥିବା ଲୋକେ ପର୍ଯ୍ୟଟକ ନୁହନ୍ତି, ଏହି ଲଞ୍ଚ ହିଁ ସେମାନଙ୍କ ଜୀବନର ଏକମାତ୍ର ଯାତାୟାତ ଭରସା। କାହାକୁ ବଜାର ଯିବାର ଅଛି, କାହାକୁ ହସ୍ପିଟାଲ୍, କାହାର ସରକାରୀ କାମ ତ ଆଉ କାହାର ପିଲାଙ୍କୁ ସ୍କୁଲ୍ ପଠାଇବାର ଚିନ୍ତା। ପ୍ରତିଦିନର ଏହି ସବୁ ଆବଶ୍ୟକତା ପାଇଁ ଭରସା ଏହି ଜଳଯାତ୍ରା। ଏହା ହେଉଛି ମାଲକାନଗିରିର ସ୍ୱାଭିମାନ ଅଞ୍ଚଳର ବାସ୍ତବ ଚିତ୍ର। ବର୍ଷା ହେଉ କି ଖରା, ଶୀତ ହେଉ କି କାକର, ଋତୁ ବଦଳୁଛି, ହେଲେ ବଦଳୁନି ଏମାନଙ୍କ ଯାତାୟାତର ଚିତ୍ର। ଜଳପଥ ଉପରେ ନିର୍ଭର କରି ଚାଲିଛି ଏମାନଙ୍କ ଜୀବନର ଗତି। ସମୟରେ ଲଞ୍ଚ ମିଳିଲେ ଗନ୍ତବ୍ୟ ଆଡ଼କୁ ବଢେ ଯାତ୍ରା। ହେଲେ ଲଞ୍ଚ ଟିକେ ମିସ୍ ହେଲେ କେବଳ ଯାତ୍ରା ଅଟକେନି, ଅଟକିଯାଏ ପୂରା ଦିନର କାମ। କାରଣ ଏଠି ଜଳପଥକୁ ଛାଡ଼ି ଅନ୍ୟ ବିକଳ୍ପ ରାସ୍ତା ନାହିଁ। ଆଠ ବର୍ଷ ତଳେ ସ୍ୱାଭିମାନ ଅଞ୍ଚଳରେ ନିର୍ମାଣ ହୋଇଥିଲା ଗୁରୁପ୍ରିୟ ସେତୁ। ବିଚ୍ଛିନ୍ନ ଅଞ୍ଚଳକୁ ମୁଖ୍ୟସ୍ରୋତ ସହ ଯୋଡ଼ିବାର ବଡ଼ ଆଶା ହୋଇଥିଲା ଏହି ସେତୁ ସେତେବେଳେ ଲୋକେ ଭାବିଥିଲେ, ଏବେ ଗାଁକୁ ରାସ୍ତା ଆସିବ ଯାତାୟାତରେ ସୁବୁଧା ହେବ। ଦୁଆର ପାଖରେ ପହଞ୍ଚିବ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟ ମୌଳିକ ସୁବିଧା। କିନ୍ତୁ ୮ ବର୍ଷ ପରେ ବି ସେ ସ୍ୱପ୍ନ ସବୁଠି ସାକାର ହୋଇପାରିନି। ଅନେକ ଗାଁ ଏବେ ବି ସଡ଼କ ସଂଯୋଗର ଅପେକ୍ଷାରେ। ଆଉ ସେଥିପାଇଁ ସେତୁ ଆସିଛି, କିନ୍ତୁ ଲଞ୍ଚରୁ ମୁକ୍ତି ମିଳିନି। ପ୍ରଶାସନ କହୁଛି, ଯେଉଁ ଗାଁକୁ ଏଯାଏଁ ସଡ଼କ ସଂଯୋଗ ନାହିଁ, ସେସବୁ ଅଞ୍ଚଳରେ ରାସ୍ତା ନିର୍ମାଣ କାମ ଚାଲିଛି। ପର୍ଯ୍ୟାୟକ୍ରମେ ଗାଁଗୁଡ଼ିକୁ ସଡ଼କ ସହ ଯୋଡ଼ାଯିବ। ସଡ଼କ ସଂଯୋଗ ହେଲେ ଯାତାୟାତ ସହଜ ହେବା ସହ ଲୋକଙ୍କ ପାଖରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟ ମୌଳିକ ସେବା ମଧ୍ୟ ସହଜରେ ପହଞ୍ଚିପାରିବ। ଦେଶରେ ଯାତାୟାତର ଗତି ବଢୁଛି, ଦୂରତା କମୁଛି। କିନ୍ତୁ ସ୍ୱାଭିମାନ ଅଞ୍ଚଳର କିଛି ଗାଁରେ ଏବେ ବି ଦୂରତା କିଲୋମିଟରରେ ନୁହେଁ, ସମୟରେ ମପାଯାଉଛି। ଗୁରୁପ୍ରିୟ ସେତୁକୁ ୮ ବର୍ଷ ହେଲାଣି। ହେଲେ ଗାଁଗୁଡିକୁ ପକ୍କା ରାସ୍ତା ପହଞ୍ଚିପାରୁନି। କେବେ ସଡ଼କ ହେବ ଏମାନଙ୍କ ନୂଆ ଲାଇଫଲାଇନ୍? ସେହି ଦିନକୁ ଅପେକ୍ଷା କରିଛନ୍ତି ସ୍ୱାଭିମାନ ଅଞ୍ଚଳର ଅନେକ ଗାଁ।
Read full article on Otv News